ବାଳବୋଧ କୋଇଲି ଚଉତିଶା

 

 

 

 

 

 

 

 

ବାଳବୋଧ କୋଇଲି ଚଉତିଶା

(ଆଷାଢ଼ଶୁକ୍ଳ ବାଣୀ)

ଶ୍ରୀ ଅଗଣି ନାୟକ

 

(କବି ଊନବିଂଶ ଶତାବ୍ଦୀର କବିଙ୍କ ସମ୍ପର୍କରେ ବିଶେଷ କିଛି ତଥ୍ୟ ମିଳିନାହିଁ । ତାଙ୍କର ରଚନା ‘ବାଳବୋଧ କୋଇଲି’ ୧୮୯୮ ମସିହାରେ ଭିକ୍ଟୋରିଆ ପ୍ରେସ୍‍ରୁ ପ୍ରକାଶ ପାଇଥିଲା । ଅନ୍ୟାନ୍ୟ କୋଇଲି ପରି ଏହା କାରୁଣ୍ୟ ରସରେ ପରିପୂର୍ଣ୍ଣ । କବି ଏହି ‘କୋଇଲି’କୁ ଚଉତିଶା ରୀତିରେ ଲେଖୁଛନ୍ତି । ତେଣୁ ଆମେ ଏହାକୁ ଚଉତିଶା ଅନ୍ତର୍ଗତ କରି ଏଠାରେ ଆଲୋଚନା କରିଛୁ-। କୋଇଲି ସମ୍ବୋଧନ ମାଧ୍ୟମରେ ପୁତ୍ର କୃଷ୍ଣଙ୍କ ବିରହରେ ଯଶୋଦାଙ୍କ ମାତୃହୃଦୟ ବାତ୍ସଲ୍ୟ ପ୍ରେମରେ କିପରି ପ୍ଳାବିତ ହୋଇଛି ତା’ର ଚିତ୍ର ଫୁଟି ଉଠିଛି । ଚଉତିଶାଟି ରସଗ୍ରାହୀ ଓ ମନୋଜ୍ଞ ହୋଇଛି ।)

କୃଷ୍ଣ କମନୀୟ ମଧୁର ବାଣୀ

କହି କରୁଣ୍ୟ କରେ ନନ୍ଦ ରାଣୀ

କୋକିଳକୁ ଚାହିଁ କହେ ବଚନ

କାହାକୁ ଡାକି ଦେବି କ୍ଷୀରପାନ

କୋଇଲି ଲୋ ଶୁଣ

କୃଷ୍ଣ ବଳରାମ ବୋଇଲେ ଭିନ୍ନ ।୧।

ଖଳ କରି କଂସ ଦୁତ ପେଶିଲା

ଖଗପତି ନାଥଙ୍କୁ ଘେନିଗଲା

ଖଣ୍ଡିତା-ରାଗେ ଉପବନେ ବସି

ଖରାବେଳେ ନିତି ବଜାଏ ବଂଶୀ

କୋଇଲି ଲୋ ଶୁଣ

ଖୁସି ହୁଅନ୍ତି ଶୁଣି ଗୋପୀଗଣ ।୨।

ଗଳାର ହାର ଗୋପ ଛାଡ଼ିଗଲା

ଗୋପାଳବାଳ ସଙ୍ଗେ ଘେନିଗଲା

ଗୋରୁ ଗୋବଚ୍ଛା ହେମ୍ବାରାବ ଦେଇ

ଗହନ ବନେ ଖୋଜନ୍ତି ମାଧୋଇ

କୋଇଲି ଲୋ ଶୁଣ

ଗଞ୍ଜିହୋଇ ମନେ ନଖାନ୍ତି ତୃଣ ।୩।

ଘନ ବରଷା ଦେଖି ଘଡ଼ଘଡ଼ି

ଘରକୁ ଘର ନ ଦିଅଇ ଛାଡ଼ି

ଘନଶ୍ୟାମଳିଆ ବରଷା କାଳେ

ଘେନି ବସିଥିବ କିଏ ସେ କୋଳେ

କୋଇଲି ଲୋ ଶୁଣ

ଘାଣ୍ଟି ହୋଏ ଦେଖି ଏ ନବଘନ ।୪।

 

ଭାବାର୍ଥ- (୧-୪) ପୁତ୍ର କୃଷ୍ଣର ସୁନ୍ଦର, କୋମଳ ବାଣୀକୁ ମନେପକାଇ ମାତା ଯଶୋଦା କାରୁଣ୍ୟ କଣ୍ଠରେ କୋକିଳକୁ ସମ୍ବୋଧନ କରି କହୁଛନ୍ତି- ଲୋ କୋଇଲି, କାହାକୁ ଡାକି କ୍ଷୀରପାନ ଦେବି ? କୃଷ୍ଣ ବଳରାମ ମୋ ପାଖରୁ ଏବେ ଭିନ୍ନ ହୋଇଯାଇଛନ୍ତି । ଦୁଷ୍ଟବୁଦ୍ଧିରେ କଂସ ଦୂତ ପେଷି କୃଷ୍ଣଙ୍କୁ ନେଇଗଲା । ସବୁଦିନେ ଖରାବେଳେ ଉପବନରେ ବସି ଖଣ୍ଡିତା ରାଗରେ ବଂଶୀ ବଜାଉଥିଲା । ଗୋପୀଗଣ ଏହା ଶୁଣି ଖୁସି ହୁଅନ୍ତି ।

 

ଲୋ କୋଇଲି, ମୋ ଗଳାରହାର କହ୍ନାଇ । ଗୋପପୁର ଛାଡ଼ିଗଲା । ସଙ୍ଗରେ ଗୋପାଳ ପିଲାଙ୍କୁ ନେଇଗଲା । ଗୋରୁ, ଗାଈ ବାଛୁରୀ ହମ୍ବା ରଡ଼ି କରି ଗହନ ବନରେ କୃଷ୍ଣକୁ ଖୋଜୁଛନ୍ତି । ମନ ଭିତରେ ଗଞ୍ଜି ହୋଇ ଘାସ ଖାଉନାହାନ୍ତି । ଘୋର ବରଷା, ମେଘ ଘଡ଼ଘଡ଼ି ହେଲେ ତାକୁ ଗୋଟିଏ ଘରୁ ଅନ୍ୟ ଗୋଟିଏ ଘରକୁ ଛାଡ଼ୁ ନ ଥିଲି । ଏବେ ବର୍ଷକାଳ । ମୋ ଘନଶ୍ୟାମକୁ କୋଳରେ ଧରି କିଏ ବସିଥିବ ? କୋଇଲି ଲୋ, ଏ ଘନ ବର୍ଷାକାଳ ଦେଖି ମନଟା ଘାଣ୍ଟି ହେଉଛି ।

 

ଅଖିଳ ବିହାରୀ ଅରକ୍ଷ ପିତା

ଅଗତି ମାନଙ୍କର ଗତି ଦାତା

ଅହର୍ନିଶି ତା ଅନ୍ତର ବେଦନା

ଅନ୍ତର୍ଗତରେ ଦେଉଛି ଯାତନା

କୋଇଲି ଲୋ ଶୁଣ

ଅମାବାସ୍ୟାରେ ଚନ୍ଦ୍ର ହୋଇ ଯେସନ ।୫।

ଚଳି ନ ପାରଇ ନନ୍ଦ ରାଜନ

ଚିତ୍ତରେ ଚିନ୍ତା କରି ହୁଏ କ୍ଷୀଣ

ଚମ୍ପକ ଲତା ତଳପକୁ ଚାହିଁ

ଚିତ୍ର ମଣ୍ଡପେ ବସି ରାବ ଦେଇ

କୋଇଲି ଲୋ ଶୁଣ

ଚଞ୍ଚଳ ତନୁ ଅଚଳ ସମାନ ।୬।

ଛାଟକେ ମାରିଥିଲା ପୂର୍ବେ ନନ୍ଦ

ଛାଡ଼ି କି ତେଣୁ ଗଲେ ମୋ ଗୋବିନ୍ଦ

ଛନ ଛନ ମନ ହେଉଛି ମୋର

ଛନ୍ଦ ପାତିଲା କି ସେ କଂସାସୁର

କୋଇଲି ଲୋ ଶୁଣ

ଛନ୍ଦିବ କି ମାତା ପିତା ନନ୍ଦନ ।୭।

ଜଳଦ କାଳିୟା ପାଇଁ ଜଗତେ

ଜଞ୍ଜାଳ ସହିଅଛି ମୁହିଁ କେତେ

ଜୀବନର ଧନ କାହାପୁରେ ଥିବ

ଜାଣୁ ଜାଣୁ କଷ୍ଟ ଅଙ୍ଗେ ଲଭିବ

କୋଇଲି ଲୋ ଶୁଣ

ଜାଡ଼ ବରଷାରେ ହୋଇବ କ୍ଷୀଣ ।୮।

 

ଭାବାର୍ଥ- (୫-୮) ଲୋ କୋଇଲି, କହ୍ନାଇ ମୋର ଅଖିଳ ବ୍ରହ୍ମାଣ୍ଡର ବିହାରୀ, ଅରକ୍ଷଜନର ପିତା, ଅଗତିମାନଙ୍କର ଗତି ଦାତା । ରାତି ଦିନ ତା’ର ଅନ୍ତରର ବେଦନା ଆମାବାସ୍ୟାରେ ଚନ୍ଦ୍ର ଯେମିତି କ୍ଷୀଣ ହୋଇଯାଏ, ସେମିତି ମୋ ଅନ୍ତର ଦୁଃଖ ପାଉଛି । ଲୋ କୋଇଲି, ଦୁଃଖୀଧନକୁ ମନ ମଧ୍ୟରେ ଚିନ୍ତା କରି କରି ନନ୍ଦ ରାଜା କ୍ଷୀଣ ହୋଇଗଲେଣି । ଚଳପ୍ରଚଳ ହୋଇ ପାରୁ ନାହାନ୍ତି । ଲୋ କୋଇଲି, ଚମ୍ପକଲତା ଶେଯ (ତଳ୍ପ)କୁ ଦେଖି ଚିତ୍ର ମଣ୍ଡପରେ ବସି ରହିଛନ୍ତି । ଚଞ୍ଚଳ ତନୁ ତାଙ୍କର ଅଚଳ ସମାନ ହୋଇଛି ।

 

ଲୋ କୋଇଲି, ପୂର୍ବରୁ ଥରେ ନନ୍ଦ ରାଜା କହ୍ନାଇକୁ ଛାଟରେ ମାରିଥିଲେ । ମୁଁ ଭାବୁଛି, ସେଥିପାଇଁ ଆମକୁ ସେ ଛାଡ଼ି ଚାଲିଗଲା । ମୋ ମନଟା ଛନ୍ନ ଛନ୍ନ ହେଉଛି, କାଳେ କଂସାସୁର କିଛି କପଟଛନ୍ଦ କଲା କି ? ମାତା, ପିତା ଓ ପୁତ୍ରକୁ ଛନ୍ଦିବ ବା ବାନ୍ଧି ଦେବ କି ? ଲୋ କୋଇଲି, ଏ କାଳିଆ କାହ୍ନୁ ପାଇଁ ମୁଁ ଜଗତରେ କେତେ ଜଞ୍ଜାଳ ସହିଛି । ଜୀବନ ଧନ ଏବେ କାହାପୁରରେ ଥିବ, ଜାଣୁ ଜାଣୁ କେତେ କଷ୍ଟ ପାଇବ । ଜାଡ଼ ବରଷାରେ ତା’ ଦେହ କ୍ଷୀଣ ହୋଇଯିବ ।

ଝଞ୍ଜା ପବନ ଲାଗି ଥରୁଥିବ

ଝୀନ ବସନେ ଜାଡ଼ କି ରହିବ

ଝଡ଼କମୁଖ ଧୂଳିରେ ଧୂସର

ଝାଡ଼ିଦେବ କିଏ ଧରି କୋଳର

କୋଇଲି ଲୋ ଶୁଣ

ଝୁରୁଥିବ ଦେଖି ମୋ ସଙ୍କର୍ଷଣ ।୯।

ନୟନ ପିତୁଳା ନେଲା ଅକ୍ରୁର

ନେଇ କି ରଖିଥିବ ତା ମନ୍ଦିର

ନବୀନ ଖୁଞ୍ଜମାଳିଆ ମୋ ପ୍ରାଣ

ନନେଇ ରଖିଲା ଗୋପ ଭୁବନ

କୋଇଲି ଲୋ ଶୁଣ

ନାରଖାର କରିଗଲା ମୋହନ ।୧୦।

ଟାଳି ଦେଇଗଲା ଗୋପ ସମ୍ପଦ

ଟିକାଏ ଫେରି ନଇଲା ଜୀବଦ

ଟାଣ ଭାଙ୍ଗିଲା ମାତ ପିତାଙ୍କର

ଟାହି କରନ୍ତି ଜଗତରେ ନର

କୋଇଲି ଲୋ ଶୁଣ

ଗୋପେ ପଡ଼ି ସଢ଼େ ନନ୍ଦରାଜନ ।୧୧।

ଠକାଇ ସବୁ ରଖିଥିଲା ମାନ

ଠକିଗଲା ମୋତେ ମଧୁଭୁବନ

ଠାରିବି କାହା ସକାଶେ ଚନ୍ଦ୍ରକୁ

ଠକି ମୁଁ ଦେବି କା ହସ୍ତେ ଫୁଲକୁ

କୋଇଲି ଲୋ ଶୁଣ

ଠଣ ସୁନ୍ଦର ମୋ ଗଳା ସୁମନା ।୧୨।

ଭାବାର୍ଥ- (୯-୧୨) ଲୋ କୋଇଲି, ଝଞ୍ଜା ପବନ ବାଜି ତା’ ଦେହ ଥରୁଥିବ । କଷ୍ଠ ମୋର ଝୀନ ବସନ ପିନ୍ଧିଛି, ଏହା କ’ଣ ଜାଡ଼କୁ ସମ୍ଭାଳି ପାରିବ ? ଝଟକ ମୁଖ ତା’ର । ଧୂଳିରେ ଧୂସରିତ ହୋଇ ପଡ଼ିଥିବ, କିଏ ବା ତାକୁ କୋଳେଇ ନେଇ ମୁହଁ, ଦେହରୁ ଧୂଳି ଝାଡ଼ିଦେବ ? ଏ ସବୁକୁ ଦେଖି ମୋ ସଙ୍କର୍ଷଣ (ବଳରାମ) ଝୁରୁଥିବ । ମୋ ନୟନ ପିତୁଳା କହ୍ନାଇକୁ ନେଇ ଅକର କ’ଣ ତାଙ୍କ ନିଜ ଘରେ ରଖିଥବେ ? ନବୀନ ଗୁଞ୍ଜ (କାଇଁଚ) ମାଳିଆ, ମୋ ପ୍ରାଣଧନ ସେ । ବିଧାତା ଜୀବନ ନ ନେଇ ମୋତେ ଯାହା ଗୋପପୁରରେ ରଖିଛି ! ଲୋ କୋଇଲି, ମୋହନ ମୋତେ ନାରଖାର କରି ଚାଲିଗଲା । ଲୋ କୋଇଲି, କୃଷ୍ଣ ଗୋପ ସମ୍ପଦକୁ ଟାଳି ଦେଇଗଲା । ଟିକାଏ ମଧ୍ୟ ଫେରି ଆସିଲା ନାହିଁ । ପିତାମାତାଙ୍କର ଟାଣ ଭାଙ୍ଗିଦେଲା । ଜଗତର ଲୋକ ଆମକୁ ଟାହିଟାପରା କରୁଛନ୍ତି । ଗାଡ଼ ଭିତରେ ପଡ଼ି ଲୋକ ଶଢ଼ିଲା ପରି ନନ୍ଦ ରାଜା ହନ୍ତସନ୍ତ ହେଉଛନ୍ତି । ଲୋ କୋଇଲି, ସବୁ ମାନକୁ ଠକାଇ ରଖିଥିଲା । ଠକିକରି ମୋତେ ମଧୁଭୁବନକୁ ଚାଲିଗଲା ।

ଲୋ କୋଇଲି, ସେ ଛୋଟ ହୋଇଥିବାବେଳେ କୋଳରେ ଧରି ଚନ୍ଦ୍ରକୁ ଠାରୁଥିଲି । ଠକି କରି ତା’ ହାତରେ ଫୁଲକୁ ଦେଉଥିଲି । ଏବେ ଏ ମଧୁପୁରରେ କାହା ପାଇଁ ଚନ୍ଦ୍ରକୁ ଠାରିବି ? କାହା ହାତରେ ଫୁଲକୁ ଦେବି ? ଠଣ ସୁନ୍ଦର ମୋ, ଗଳାର ସୁମନ କୃଷ୍ଣ ।

ଡକାଇଲା ଦିନେ ତୃଣା ଅସୁର

ଡେଇଣ ଘେନିଗଲା ଗଗନର

ଡାକି ଗୋପୀଏ ଟାକି ଆକାଶକୁ

ଡରିଣ ଛାଡ଼ିଦେଲା ମୋ କୃଷ୍ଣକୁ

କୋଇଲି ଲୋ ଶୁଣ

ଡରୁଥାଇ ଗୁଣି ସେ କଥାମାନ ।୧୩।

ଢଗଢ଼ମାଳି କା ଆଗେ କହିବି

ଢୋକିବି ବିଷ ପିଣ୍ଡୁ ପ୍ରାଣ ଦେବି

ଢଳି ଢଳି ହଳୀ ଘେନି ସଙ୍ଗଣେ

ଢମାଳିଆ ହୋଇ କହେ ବଚନ

କୋଇଲି ଲୋ ଶୁଣ

ତାଳେ କି ଶୁଣାଯିବ ସେ ବଚନ ।୧୪।

 

ଅରୁଣ ଅଧର ତରୁଣ କାଳ

ଆଉ କି ଦେଖିବି ଏ ବେନି ଡୋଳ

ଅଦୃଶ୍ୟ କରି ରଥ ବାହିନେଲା

ଅକ୍ରୁର ନେଇ ନିଶ୍ଚିତ ହୋଇଲା

କୋଇଲି ଲୋ ଶୁଣ

ଆସିବ କି ଆଉ ଗୋପଭୁବନ ।୧୫।

ତପନ ତନୟା କୂଳରେ ଯାଇ

ତ୍ରିଭଙ୍ଗି ଛନ୍ଦେ ଗୀତ ଗାଉଥାଉ

ତପତ କାଞ୍ଚନ ବସନ ଜ୍ୟୋତି

ତରୁଆ କଦମ୍ବ ମୂଳରେ ସ୍ଥିତି

କୋଇଲି ଲୋ ଶୁଣ

ତଡ଼ିତ ପ୍ରାୟେ ରୂପକୁ ଶୋଭନ ।୧୬।

 

ଭାବାର୍ଥ- (୧୩-୧୬) କୋଇଲି ଲୋ ଶୁଣ, ଦିନେ ତୃଣାସୁର କୃଷ୍ଣକୁ ମୋର ଟେକି ଆକାଶ ଆଡ଼କୁ ନେଇଗଲା । ମୁଁ ଗୋପୀମାନଙ୍କୁ ଡାକିଲି, ସେମାନେ ତାକୁ ଘେରିବାରୁ ଭୟରେ ଛାଡ଼ିଦେଲା । ସେ କଥା ସବୁକୁ ମନେ ପକାଇଲେ ଭୟ ଲାଗୁଛି । କୋଇଲି ଲୋ, ଢଗଢମାଳି ଆଉ କାହା ଆଗରେ କହିବି ? ବିଷଖାଇ ପିଣ୍ଡରୁ ପ୍ରାଣ ହାରିବି । ଢଳି ଢଳି ବଳରାମ ସଙ୍ଗରେ ଢମାଳିଆ ହୋଇ କେତେକଥା କହୁଥିଲା । ତାକୁ ଝୁରି ମନଟା ବିଦାରି ହୋଇଯାଉଛି । ବେଳେ ବେଳେ ମନରେ ଭାବନା ଆସୁଛି, ତା’ କଥା ସବୁ ମୋ କାନରେ ପଡ଼ିବକି ? ଲୋ କୋଇଲି, ସତରେ କ’ଣ ମୋ କହ୍ନାଇର ଅରୁଣ ଅଧର, ତରୁଣ ବୟସକୁ ଏ ଦୁଇ ଚକ୍ଷୁ ଆଉ ଦେଖିବ ? ଅକ୍ରୂର ଅଦୃଶ୍ୟ କରି ରଥକୁ ବାହିନେଲା ଓ ନିଶ୍ଚିନ୍ତ ହୋଇଗଲା ।

 

କୋଇଲି ଲୋ, ସତରେ ସେ କ’ଣ ଆଉ ଗୋପପୁରକୁ ଆସିବ ? ତପନ ତନୟ (ଯମୁନା) କୂଳରେ ରହି ତ୍ରିଭଙ୍ଗୀ ଠାଣିରେ ନାଚ କରି ଗୀତ ଗାଉଥାଏ । ତା’ର ବସନର ଜ୍ୟୋତି ତପ୍ତକାଞ୍ଚନ ସଦୃଶ । ସର୍ବଦା କଦମ୍ବ ମୂଳରେ ବସିଥାଏ । କଳାମେଘ ଦେହରେ ବିଜୁଳିର ଶୋଭା ଝଟକିଲା ଭଳି, ତା’ ରୂପ ଶୋଭା ପାଉଛି ।

 

ଥବିର କଳାକହ୍ନାଇ ମୋହର

ଥବିର କାଳକୁ ହେଲା ଅନ୍ତର

ଥନ ଭାଙ୍ଗି କ୍ଷୀର ଖୋଇଣ ଥିଲି

ଥକାଇ ସ୍ରୋତେ ଦେଇଗଲା ପେଲି

କୋଇଲି ଲୋ ଶୁଣ

ଥୟ କରିବ କେ ଆମ୍ଭ ଜୀବନ ।୧୭।

ଦହି ଦୁଧଖଣ୍ଡ ସାକରଖିଆ

ଦୂର୍ବାଦଳଗାତ୍ର ନୀପମୁଳୀୟା

ଦରିଦ୍ରଧନ ଦୁଃଖୀର ସଙ୍ଖାଳି

ଦୟା କି ଚିତୁଁ ତାର ଗଲା ଟଳି

କୋଇଲି ଲୋ ଶୁଣ

ଧଇର୍ଯ୍ୟ ହଢ଼େ ଚାହିଁ ମାର୍ଗେ ପୁଣ ।୧୮।

ନବୀନ ବୟସ ଲାବଣ୍ୟ ନିଧି

ନଜାଣି ହରାଇ ବସିଲି ବୁଦ୍ଧି

ନବ ତମାଳ ତରୁ ଲତା ଆଦି

ନାରଖାର ଦିଶେ ବସନ ଭେଦି

କୋଇଲି ଲୋ ଶୁଣ

ନବ ନବ କୁଞ୍ଜ କାହୁଁ ଶୋଭନ ।୧୯।

ପରମାନନ୍ଦ ପରକୁ ଆନନ୍ଦ

ପବିତ୍ର ସଦା କରେ ପାପୀ ହୃଦ

ପୂତନା କୋଳେ କ୍ଷୀରପାନ କରି

ପବିତ୍ର ଅଙ୍କ କଲାକ ତାହାରି

କୋଇଲି ଲୋ ଶୁଣ

ପୂତନା ଗଲା ଅମର ଭୁବନ ।୨୦।

 

ଭାବାର୍ଥ- (୧୭-୨୦) ଲୋ କୋଇଲି, କଳାକହ୍ନାଇ ମୋର ଅନ୍ଧର ଲଉଡ଼ି । କେତେ ଆଶା କରିଥିଲି ତାକୁ । ମୋର ବୃଦ୍ଧାବସ୍ଥାରେ ଅନ୍ତର ହୋଇଗଲା । ସ୍ତନ ଭାଙ୍ଗି ତାକୁ କ୍ଷୀର ଖୁଆଇଥିଲି । ଏବେ ନଦୀସ୍ରୋତରେ ଠେଲି ଦେଇ ଚାଲିଗଲା । ଆମ ଜୀବନକୁ କିଏ ଥୟ କରିବ-? ଲୋ କୋଇଲି, ଦହି, ଦୁଧଖଣ୍ଡ ସାକରଖିଆ ସେ । ତା’ର ଦେହ ଦୂର୍ବାଦଳ ପରି । ସବୁଦିନେ କଦମ୍ବମୂଳରେ ଠିଆ ରହିଥିବ । ଦରିଦ୍ରର ଧନ, ଦୁଃଖୀର ସଙ୍ଖାଳି, ମୋ କୃଷ୍ଣ । ସମସ୍ତଙ୍କ ପ୍ରତି ତା’ ମନରେ ଦୟାଭାବ । ଏବେ ଭାବୁଛି, ତା ମନରୁ ସେହ, ଦୟାଭାବ ଚାଲିଗଲା କେମିତି ? ତା’ ଆସିବା ବାଟକୁ ଚାହିଁ ଚାହିଁ ଧୈର୍ଯ୍ୟ ହଜିଗଲାଣି ।

 

ଲୋ କୋଇଲି, ନବୀନ ବୟସ, ଲାବଣ୍ୟନିଧିକୁ ପାସୋରି ଦେଲି ଓ ବୁଦ୍ଧିକୁ ହରାଇ ବସିଲି । ନୂଆରେ କଅଁଳିଥିବା ତରୁଲତା ସବୁ ନାରଖାର ହୋଇଗଲା । ନୂଆ ନୂଆ କୁଞ୍ଜ ତା’ ବିନା ଆଉ କୁଆଡ଼ୁ ଶୋଭା ଦେଖାଯିବ ? ଲୋ କୋଇଲି, କୃଷ୍ଣ ମୋର ପରମାନନ୍ଦ, ପରକୁ ଆନନ୍ଦ ଦିଏ-। ପାପୀର ହୃଦୟକୁ ସର୍ବଦା ପବିତ୍ର କରେ । ପୂତନାର କୋଳରେ କ୍ଷୀରପାନ କରି ତା’ର କୋଳକୁ ପବିତ୍ର କରିଦେଲା । କୃଷ୍ଣ ହାତରେ ମରି ସେ ସ୍ୱର୍ଗ ଭୁବନକୁ ଗଲା ।

 

ଫଟା କପାଳେ ଏହା ଲେଖାଥିଲା

ଫଳିବା ଫଳ ମଥୁରାକୁ ଗଲା

ଫନ୍ଦା ସିନା ରାମକୃଷ୍ଣ ମୋହର

ଫାଶେ ପକାଇ କରିଗଲା ତୁର

କୋଇଲି ଲୋ ଶୁଣ

ଫଳ ଥିଲେ ଯାନ୍ତି ସ୍ୱର୍ଗ ଭୁବନ ।୨୨।

ବନବିହାରୀ ଦିନେକ ବନକୁ

ବତ୍ସା ଘେନିଗଲା ନୀପ ମୁଳକୁ

ବିଷ ପାଣିଗଲା ଅମୃତ ନୀର

ବନଜ ତୋଳି ନୃତ୍ୟ କାଳୀ ଶିର

କୋଇଲି ଲୋ ଶୁଣ

ବଳିଷ୍ଠ କାଳୀ ପଶିଲା ଶରଣ ।୨୩।

 

ଭାଳି ଭାଳି ଦିନ ନସରେ ମୋର

ଭୟ କରେ ପଡ଼ିଗଲେ ମନର

ଭଣଜା ମାରିଛି ସେ ମୂଢ଼ ରାଜା

ଭିଣୋଇ ଭଉଣୀ ଜନ ପରଜା

କୋଇଲି ଲୋ ଶୁଣ

ଭଲ କେ ତାକୁ ନ କହନ୍ତି ପୁଣ ।୨୪।

ମାୟାଧର ମାୟା କରି ମୋହରେ

ମଉନେ ରଥେ ବସିଗଲା ଖରେ

ମୟୂର ପଙ୍ଖା ମୟୂର ବିଞ୍ଛଣା

ମାତୁଳ ପୁରେ କିଏ ଦେବ ସିନା

କୋଇଲି ଲୋ ଶୁଣ

ମାଇଁ କି ଦେବ ତା ମନ ଜାଣିଣ ।୨୫।

ଯାଇ ଯୁଇ ଚମ୍ପା ମଲ୍ଲୀ ମାଳତୀ

ଜୟନ୍ତୀ ଫୁଲରେ ମନ ତୃପତି

ମାନିନୀ କାଳେ ଫୁଲଶଯ୍ୟା କରି

ଯୋଗାଏ ମୋ କୃଷ୍ଣ ଶୋଇବ ବୋଲି

କୋଇଲି ଲୋ ଲୁଣ

ଯବନେ ଏହା କିଏ ଦେବ ପୁଣ ।୨୬।

 

ଭାବାର୍ଥ- (୨୨-୨୬) ଲୋ କୋଇଲି, ମୋ ଫଟା କପାଳରେ ଏହା ଲେଖାଥିଲା । ଫଳିବା ଫଳ ଏବେ ମଥୁରାକୁ ଗଲା । ରାମକୃଷ୍ଣ ସିନା ମୋର ଫନ୍ଦା (ଭରସା) ତାଙ୍କୁ ଫାଶ ପକାଇ ଶୀଘ୍ର କଂସ ନେଇଗଲା । କପାଳରେ ଫଳ ପାଇବା ଲେଖାଥଲେ ସିନା ସ୍ୱର୍ଗକୁ ଯିବି । ଲୋ କୋଇଲି, ବନବିହାରୀ କୃଷ୍ଣ ଦିନେ କଦମ୍ବ ମୂଳକୁ ବାଛୁରୀ ନେଇଯାଇଥିଲା । ସେଠାରେ ଥିବା କାଳିନ୍ଦୀ ହ୍ରଦରେ ଅମୃତଜଳକୁ କାଳୀୟ ସର୍ପ ବିଷରେ ପରିଣତ କଲା । କୃଷ୍ଣ ତା’ ଶିରରେ ପାଦ ରଖି ନୃତ୍ୟ କଲା । ବଳିଷ୍ଠକାଳୀୟ ସର୍ପ ଭୟରେ ତା’ ନିକଟରେ ଶରଣ ପଶିଲା । ଏ ସବୁ ମନେ ପଡ଼ିଗଲେ ତାକୁ ଭାଳି ଭାଳି ଦିନ ସରେ ନାହିଁ, ମନରେ ଭୟ ଆସେ । ଭଣଜା ହୋଇ ମାମୁ କଂସକୁ ମାରିଛି ବୋଲି ତାକୁ କେହି ଭଲ କହୁନାହାନ୍ତି ।

ଲୋ କୋଇଲି, ମାୟାଧର କୃଷ୍ଣ ମୋର । ମୋ ପ୍ରତି ମାୟା କରି ନିରବରେ ରଥରେ ବସି ଶୀଘ୍ର ଚାଲିଗଲା । ମୟୂରପଙ୍ଖା, ମୟୂରବିଛଣା ମାମୁ ଘରେ ତାକୁ କିଏ ଦେବ ? ମାଇଁ କ’ଣ ତା’ ମନ ଜାଣି ଏହାକୁ ଦେବେ ? ଲୋ କୋଇଲି, ଜାଇଫୁଲ, ଚମ୍ପା, ମଲ୍ଲୀ, ମାଳତୀ, ଜୟନ୍ତୀ ଫୁଲରେ ତା’ ମନ ତୃପ୍ତ ହୋଇଥାଏ । ମୋ କୃଷ୍ଣ ଶୋଇବ ବୋଲି ମାନିନୀ ରାଧା ଫୁଲ ଶଯ୍ୟା କରି ଦେଉଥିଲା । ସେଠାରେ ତାକୁ ଏ ସବୁ ଫୁଲ କିଏ ଦେବ ?

ରଣ ଗୋଳକ ନ ଜାଣଇ କିଛି

ରଙ୍ଗ ଲାବଣ୍ୟ ମୋ ବାଳୁତ ବଛି

ରଙ୍ଗଅଧର ମୟୂର ଚୂଳିଆ

ରାଜୀବ ନୟନ ଅମୃତ ଖିଆ

କୋଇଲି ଲୋ ଶୁଣ

ରାଧାମୋହନ ବିନୁ ହେଳୁ କ୍ଷୀଣ ।୨୭।

ଲକ୍ଷ୍ମଣବନ୍ତ ଅଟେ ମୋ ମାଧୋଇ

ଲେଖିଲେ ଗୁଣ କଳନା ନୁହଇ

ଲଳିତ ନାମ ତେଣୁ ଦେଲେ ଗୁରୁ

ଲକ୍ଷ୍ୟ ସମ କେ ମହୀ ତ୍ରୟ ପୁରୁ

କୋଇଲି ଲୋ ଶୁଣ

ଲୂତାପ୍ରାୟେ କଲା ଗୋପ ଭୁବନ ।୨୮।

ବସି ଥିବ ଏକା ନିରାଶ ହୋଇ

ବାଳୁତ ନନ୍ଦନ ରାସ କହ୍ନାଇ

ବରଜ ସୁନ୍ଦର ବରଜ ସୁତ

ବୃନ୍ଦାବନ ନିତ୍ୟରସ ଗୁପତ

କୋଇଲି ଲୋ ଶୁଣ

ବିପିନେ କି ଏହା ଦେଖିବି ପୁଣ ।୨୯।

ଶିରକୁ ଶୋଭା ମୟୂର ଚନ୍ଦ୍ରିକା

ଶିଙ୍ଗା ଘେନି ନୃତ୍ୟ କରଇ ଏକା

ସମୀରଣ ଲାଗି ଦୋହୋଲୁ ଥାଇ

ଶତ୍ରୁ ଦେଖିଲେ ଅପସରି ଯାଇ

କୋଇଲି ଲୋ ଶୁଣ

ଶିରିଷ କୁସୁମ ଅଙ୍ଗେ ଭୂଷଣ ।୩୦।

 

ଭାବାର୍ଥ- (୨୭-୩୦) ଲୋ କୋଇଲି, ଯୁଦ୍ଧ, ଗୋଳ ସବୁ କୃଷ୍ଣ ଜାଣେ ନାହିଁ । ବାଳୁତ ପୁଅ ମୋର । ରଙ୍ଗ, ହାସରେ ତା’ର ଦିନ ସରୁଛି । ରଙ୍ଗ ଅଧର, ମୟୂର ଚୂଳିଆ, ପଦ୍ମନୟନ, ଲହୁଣୀଖିଆ ସେ । ତା’ ବିନା ଆମେ କ୍ଷୀଣ ହୋଇଗଲୁଣି । ମୋ ମାଧୋଇ ଲକ୍ଷଣବନ୍ତ । ତା’ ଗୁଣ ସବୁକୁ ଲେଖି ବସିଲେ ସରିବ ନାହିଁ । ତେଣୁ ଗୁରୁ ତା’ ନାମ ଲଳିତ ରଖିଛନ୍ତି । ତା’ ସମାନ ତିନିଭୁବନରେ କିଏ ସମାନ ହେବ ? ସେ ଗୋପପୁରକୁ ଲୂତା (ବୁଢ଼ିଆଣି ଜାଲ) ପ୍ରାୟ କରିଦେଇଛି । ସମସ୍ତେ ତା’ ଜାଲରେ ବାନ୍ଧି ହୋଇଯାଇଛନ୍ତି । ମୋ ବାଳୁତ ପୁତ୍ର ରାସକହ୍ନାଇ ଏକା ହୋଇ ନିରାଶ ମନରେ ସେଠାରେ ବସିଥିବ । ବ୍ରଜସୁନ୍ଦର ମୋ ବ୍ରଜପୁତ୍ର ବୃନ୍ଦାବନରେ ନିତ୍ୟରାସ ଗୁପ୍ତରେ ଚାଲିଥିଲା । କୋଇଲି ଲୋ, ବଣରେ ମୁଁ ଏହାକୁ ପୁଣି ଦେଖିପାରିବି ?

କୋଇଲି ଲୋ, ପୁତ୍ରର ଶିରରେ ମୟୂର ଚନ୍ଦ୍ରିକା ଶୋଭା ପାଇଛି । ଶିଙ୍ଗା ଧରି ଏକା ନୃତ୍ୟ କରୁଥାଏ । ପବନ ବାଜିଲେ ସେ ଦୋହଲୁ ଥାଏ । ଶତ୍ରୁ ଦେଖିଲେ ଅପସର ଯାଇଥାଏ । ଶିରୀଷ ଫୁଲ ତା’ ଶରୀରରେ ଭୁଷଣ ହୋଇଛି ।

ସୁନାସୀର ଦିନେ ବିବାଦ କଲା

ସପତ ଦିନ ଜଳ ବୁଷ୍ଟିକଲା

ଶଇଲ ଟେକିଲେ ବାମ ହସ୍ତର

ସୁଖେ ରହିଲେ ଗୋପେ ନାରୀ-ନର

କୋଇଲି ଲୋ ଶୁଣ

ଶରଣ ଗଲା ସେ ପାକ ଶାସନ ।୩୧।

ଷଷ୍ଟୀ ଦେବତୀ ହୀନିମାନ କଲା

ଶଙ୍କର ସେବା ବିଅର୍ଥ ହୋଇଲା

ସର୍ବ ମଙ୍ଗଳା ପୁଜିବି କା ଲାଗି

ସୂର୍ଯ୍ୟ ପୂଜା କରି ହେଲି ବୈରାଗୀ

କୋଇଲି ଲୋ ଶୁଣ

ଶୂନ୍ୟପୁରୁଷଙ୍କୁ କରିଛି ଧ୍ୟାନ ।୩୨।

ହରଷେ ହରି ଆଣିଦେଲେ ମୋର

ହରଷେ ପୂଜିବି ଶିବଶଙ୍କର

ହରଷେ ସର୍ବ ମଙ୍ଗଳା ପୂଜିବି

ହବିଷ ପାଳି ଧର୍ମକୁ ସେବିବି

କୋଇଲି ଲୋ ଶୁଣ

ହରି ବଳରାମ ଘେନି କୋଳେଣ ।୩୩।

କ୍ଷମାନିଧି କ୍ଷମା କର ମୋ ଦୋଷ

କ୍ଷମା ସମୁଦ୍ର ଅଟ ପୀତବାସ

କ୍ଷଣେ ତୁମ୍ଭ ନାମ ଗାୟନେ ସଦା

କ୍ଷମେ ରହିବ ଛେଦ ଚିନ୍ତାବାଧା

କୋଇଲି ଲୋ ଶୁଣ

ଛାର ଦୈବଜ୍ଞ ଅଗଣିର ମନ ।୩୪।

 

ଭାବାର୍ଥ- (୩୧-୩୪) ଲୋ କୋଇଲି ଶୁଣ, ଇନ୍ଦ୍ର ଦିନେ କୃଷ୍ଣ ସହିତ ବିବାଦ କଲେ । ସାତଦିନ ଯାଏଁ ଗୋପପୁରରେ ଜଳବୃଷ୍ଟି କଲେ । ଗୋପପୁରବାସୀଙ୍କୁ ବର୍ଷା ଉତ୍ପାତରୁ ରକ୍ଷା କରିବାକୁ କୃଷ୍ଣ ବାମ ହାତରେ ପର୍ବତ ଟେକି ଧରିଲେ । ଗୋପର ନୀରନରୀ ବର୍ଷା ଦାଉରୁ ରକ୍ଷା ପାଇ ଆନନ୍ଦେର ରହିଲେ । ଇନ୍ଦ୍ର-କୃଷ୍ଣଙ୍କ ପାଖରେ ଶରଣ ପଶିଲେ । ଲୋ କୋଇଲି, ମୋତେ ଷଷ୍ଠୀଦେବୀ ହୀନିମାନ କଲେ, ଶିବଙ୍କୁ ତପସ୍ୟା କରିବା ବୃଥା ଗଲା । କାହା ଲାଗି ମୁଁ ସର୍ବମଙ୍ଗଳାଙ୍କୁ ପୂଜା କରିବି ? ସୂର୍ଯ୍ୟଙ୍କ ପୂଜା କରି ନିରାଶ ହେଲି । ଶୂନ୍ୟପୁରୁଷଙ୍କୁ ଏବେ ଧ୍ୟାନ କରୁଛି ।

 

ଲୋ କୋଇଲି, ମହାଦେବ ଯଦି ମୋର କହ୍ନାଇକୁ ଆଣିଦେବେ, ମୁଁ ତାଙ୍କୁ ସଦାବେଳେ ପୂଜା କରିବି । ଆନନ୍ଦ ମନରେ ସର୍ବମଙ୍ଗଳାଙ୍କୁ ପୂଜିବି । ହବିଷ ପାଳି ଧର୍ମଦେବଙ୍କ ସେବା କରିବି । ଲୋ କୋଇଲି ଶୁଣ, ହରିବଳରାମଙ୍କୁ କୋଳରେ ଧରି ଆନନ୍ଦ ପାଇବି । କବି ଶେଷରେ କୃଷ୍ଣଙ୍କୁ ପ୍ରାର୍ଥନା କଲେ- ହେ କ୍ଷମାନିଧି, ମୋ ଦୋଷ କ୍ଷମାକର, ହେ ପୀତବାସ, ତୁମେ କ୍ଷମାର ସମୁଦ୍ର । ତୁମ୍ଭ ନାମ ସଦା ଗାନ କରିବି ,ମୋର ଦୁଃଖ ବାଧାକୁ ଦୂର କର ।

Image